ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC । ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ସବୁ ବିଭାଗକୁ ମଧ୍ୟ ଏନେଇ ଆଲର୍ଟ କରାଯାଇଛି । ଚିଠିରେ କୁହାଯାଇଛି ଯେ, ଶୁକ୍ରବାର ସକାଳ ସାଢେ ୫ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଶନିବାର ଏହା ଅବପାତର ରୂପ ନେବ । ପଶ୍ଚିମ-ଉତ୍ତର ଦିଗରେ ଏହା ଗତି କରି ୨୫ ତାରିଖରେ ଗଭୀର ଅବପାତର ରୂପ ନେବ । ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ । ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ।
ଆଇଏମଡି ପୂର୍ବାନୁମାନ ଅନୁସାରେ ଏହା ଭୀଷଣ ବାତ୍ୟା ନୁହେଁ ସାଧାରଣ ବାତ୍ୟା ଆକାରରେ ସ୍ଥଳଭାଗ ଛୁଇଁବ । କିନ୍ତୁ କିଛି ବିଦେଶୀ ପାଣିପାଗ ସଂସ୍ଥା କହିଛନ୍ତି, ଏହା ଭୀଷଣ ବାତ୍ୟାର ଆକାର ନେଇପାରେ । ୟୁରୋପୀୟ ମଡେଲ- ECMWFର ମ୍ୟାପ୍ ଅନୁସାରେ ବାତ୍ୟା ୨୮ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶର ମଛଲି ପଟ୍ଟନମ୍ରେ ନିକଟରେ ସ୍ଥଳଭାଗ ଛୁଇଁ ଉତ୍ତରକୁ ମୁହାଁଇବ । ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ସେହିପରି ୱିଣ୍ଡି ଦେଇଥିବା ପୂର୍ବାନୁମାନ ମଧ୍ୟ ଅନୁରୂପ ରହିଛି । ବାତ୍ୟା ୨୭ ଓ ୨୮ ତାରିଖ ରାତିରେ ଆନ୍ଧ୍ର ପ୍ରଦେଶର ମଛଲି ପଟ୍ଟମନ୍ ନିକଟରେ ସ୍ଥଳଭାଗ ଛୁଇଁବ । ସେତେବେଳକୁ ଏହା ଭୀଷଣ ବାତ୍ୟା ଆକାରରେ ଥିବାରୁ ବଡ଼ କ୍ଷୟକ୍ଷତି କରିପାରେ । ଏହା ବାତ୍ୟାର ରୂପ ନେବା ପରେ ଅଧିକ ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।


